ବୌଦ୍ଧ, ୪/୯ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରଂଜନ ପାତ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା, ପୋଡାପଦର ଠାରେ ଥିବା ଏଚ୍ ପି ପେଟ୍ରୋଲ ପମ୍ପ ନିକଟରେ ୧୦୮ ଆମ୍ବୁଲାନ୍ସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ସହ ୨ ଆରୋହୀ ଗୁରୁତର । ସୂଚନା ଅନୁସାରେ ମନମୁଣ୍ଡା-ସିନ୍ଧିଗୋରାର ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ା-ପୋଡାପଦର ସ୍ଥିତ ପେଟ୍ରୋଲ ପମ୍ପରୁ ବାଇକରେ ତେଲ ଭର୍ତ୍ତୀ କରି କଣ୍ଟାମାଳକୁ ଯିବାପାଇଁ ବାହାରୁଥିବା ସମୟରେ ଅପର ପଟରୁ ଆମ୍ବୁଲାନ୍ସ ଘଣ୍ଟାପଡ଼ାକୁ ଆସୁଥିବା ଦେଖି କିଛି ବୁଝିବା ଆଗରୁ ଧକ୍କା ହୋଇଥିଲା। ଫଳରେ ବାଇକରେ ଥିବା ତିନିଜଣ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ କୁଲୁତାଯୋର ପଞ୍ଚାୟତ ଗିଧାମାଳ ଗ୍ରାମର ବାପ ପୁଅ ଭୀମସେନ ସାହୁ, ଦିନେଶ ସାହୁ ଓ ଉକ୍ତ ଗ୍ରାମର ବିରାଟ ମାଝୀ। ଏମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଥିବାରୁ ଏବଂ ଅଧିକ ଚିକିତ୍ସା ପାଇଁ ପୁଣି ତାଙ୍କୁ ବଲାଙ୍ଗିର ଭୀମ ଭୋଇ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ଘଣ୍ଟାପଡ଼ା ପୋଲିସ ପହଞ୍ଚି ୧୦୮ଆମ୍ବୁଲାନ୍ସ ନଂ ଓଡ଼ି୨୬ ଏଲ୯୬୪୨ ଓ ହିରୋ ବାଇକ ନଂ ଓଡ଼ି୨୭ବି୪୪୩୭ ଗାଡ଼ି ଦୁଇଟି ଜବତ କରି ଥାନାକୁ ନେଇ ତଦନ୍ତ କରୁଥିବା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି।