ଭଟଲି, ୩୦।୭ ପଶ୍ଚିମ ଓଡ଼ିଶା ବାର୍ତ୍ତା (ରାଜେଶ କୁମାର ମିଶ୍ର): ବିଗତ ସରକାର ସମୟରେ ରାଜ୍ୟରେ ବାଲି ଚୋରି ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ଏଥିପାଇଁ ନଦୀରେ ବାଲି ନାହିଁ କହିଲେ ଚଲେ । ଏହାସହିତ ବାଲି ଟେଣ୍ଡର ସମୟରେ ଯେଉଁ ହିସାବରେ ରାଜସ୍ବ ଧାର୍ଯ୍ୟ ହୋଇଥିଲା ତାଠାରୁ ବହୁ ଗୁଣରେ ଅଧିକ ବାଲି ଚୋରା ଭାବେ ବିକ୍ରି ହୋଇଛି । ଯେଉଁଥି ପାଇଁ ରାଜ୍ୟ ସରକାର ବହୁ ପରିମାଣରେ ରାଜସ୍ବ ହରାଇଛନ୍ତି । ଏପରିକି ବଡ଼ ବଡ଼ ଡମ୍ଫର୍ ସାହାଯ୍ୟରେ ନଦୀରୁ ମାଟି ରାସ୍ତା ତିଆରି କରି ଗାଁ ମଝିରେ ଥିବା ପଞ୍ଚାୟତ ରାସ୍ତା ଏବଂ ଆର୍ ଡି ରାସ୍ତାରେ ବାଲି ଚୋରା ଚାଲାଣ କରାଯାଉଛି । ଯଦ୍ୱାରା ଉପରୋକ୍ତ ରାସ୍ତା ଭାରିଯାନ ଚାଲିବା ଯୋଗୁ ଖୁବ୍ ଶୀଘ୍ର ଉପୁଡ଼ି ଯାଇ ଖରାପ ହୋଇଯାଉଛି । ପୁଣି କମ ଦିନ ଭିତରେ ରାସ୍ତା ନିର୍ମାଣ କରାଯିବା ପାଇଁ ରାଜ୍ୟ ତହବିଲରୁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ସେଭଳି ନିୟମ ନଥିଲେ ମଧ୍ୟ ଭଟଲି ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏଭଳି ଅମାନୁଷିକ କାର୍ଯ୍ୟ ହେଉଥିବା ପରିଲକ୍ଷିତ ହେଉଛି ବୋଲି ଭଟଲି ର ଯୁବ ବିଧାୟକ ଇରାସିସ ଆଚାର୍ଯ୍ୟ ମଙ୍ଗଳବାର ବିଧାନସଭାରେ ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ନଦୀ ପଠାରେ ଯେଉଁଠି ବାଲି ସଂଗ୍ରହ ହେଉଛି ସେଠାରେ ଜିପିଏସ୍ ଲଗାଇ ପାଣି ନଥିବା ସମୟରେ କେତେ ବାଲି ଥିଲା ଓ ନଦୀରେ ପାଣି ଆସିବା ପରେ ପୁଣି କେତେ ବାଲି ଜମା ହେଲା ତାହା ଅନୁଧ୍ୟାନ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିବା ସହିତ ରାଜସ୍ବ ସଂଗ୍ରହ ପ୍ରତି ଦୃଷ୍ଟି ରଖିବାକୁ ଅନୁରୋଧ କରିଥିଲେ । ଏହାସହିତ ଯେଉଁ ନଦୀରେ ବାଲି ନାହିଁ ସେହି ନଦୀରେ ଟେଣ୍ଡର ପ୍ରକ୍ରିୟାକୁ ରଦ୍ଧ କରାଯାଉ ଓ ବାଲି ମାଫିଆଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲେ । ପ୍ରକାଶ ଥାଉକି ନିୟମ ମୁତାବକ ଯେଉଁ ରାସ୍ତା ଉପରେ ଯେତେ ଓଜନର ଗାଡ଼ି ଯିବା କଥା ଏହି ବାଲି ବୋଝେଇ ଟ୍ରକ ଯିବାରୁ ତାହା ନଷ୍ଟ ହେଉଛି ।