ବୌଦ୍ଧ, ୨୦/୭ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ / ରଞ୍ଜନ ପାତ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତ ସିଙ୍ଗାଣିବିଡା ଠାରେ ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣା ହୋଇଥିଲା l ସରକାରୀ ବସ କୁ ଧକ୍କା ଦେଇ ଗୋରୁ ବୋଝେଇ ପିକଅପ ଗାଡି ଦୁର୍ଘଟଣା ହେବା ଫଳରେ ଦୁର୍ଘଟଣା ସ୍ଥଳରେ 20 ଟି ଗୋରୁ ଗୁରୁତର ଅବସ୍ଥାରେ ରାସ୍ତା ରେ ପଡି ରହିଥିବା ବେଳେ ଯାତ୍ରୀବାହି ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଗୋରୁ ବୋଝେଇ ପିକଅପ ଗାଡି ଛାଡି ପଳାଇଛି ଡ୍ରାଇଭର । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଭୁବନେଶ୍ୱର ପଟୁ ଏକ ସରକାରୀ ବସ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ସିଙ୍ଗାଣିବିଡା ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ ଗାଡି ସହ ଧକ୍କା ଦେଇଥିଲା । ଫଳ ରେ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ପିକଅପ ଗାଡି ରେ ଥିବା 20 ଟି ଗୋରୁ ଗୁରୁତର ଅବସ୍ଥାରେ ବାହାରକୁ ଛିଟିକି ପଡ଼ିଥିଲେ । ଏହା ଦେଖି ପିକଅପ ଗାଡି ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ପଳାଇଥିଲେ । ପରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ । ପରେ ହରଭଙ୍ଗା ବ୍ଲକ ର ଏକ ପ୍ରାଣୀ ଚିକିତ୍ସକ ଟିମ ଆସି ଚିକିତ୍ସା ସେବା ଯୋଗାଇ ଦେଇଥିବା ବେଳେ ସ୍ଥାନୀୟ ସ୍ବେଚ୍ଛାସେବୀ ଯଥା ରାମ ସେନା ଓ ମହାବିନାୟକ ୟୁଥ କ୍ଳବ ର ଯୁବ ଗୋଷ୍ଠୀ ଆସି ଏଥିରେ ସହ ଯୋଗ କରିଥିଲେ । ପରେ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ 6 ଗୋଟି ଆହତ ଗୋରୁଙ୍କୁ ଏକ ଗାଡି ଯୋଗେ ମଥୁରା ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳାକୁ ପଠାଇ ଦିଆଯାଇଛି । ତେବେ ଏହି 20 ଟି ଗୋରୁ କୁ ଗୋଚାଳନ ଉଦ୍ଧେଶ୍ୟରେ ନିଆଯାଉଥିବା ବେଳେ ଏ ଦିଗରେ ସମ୍ପୁକ୍ତ ଗାଡି ମାଲିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ତଦନ୍ତ ଚାଲିଛି ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।