ଖପ୍ରାଖୋଲ, ୩/୪ ପଶ୍ଚିମ ଓଡିଶା ବାର୍ତ୍ତା (ହେମସାଗର ସାହୁ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମରେ ମାର୍ଚ୍ଚ ମାସ ୨୯ ତାରିଖ ରାତି ୧୨ ଟାରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଥିଲା l ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ମାନଙ୍କୁ ଚୋବିଶ ଘଣ୍ଟାରେ ଖପ୍ରାଖୋଲ ପୋଲିସ ଧରିବାରେ ସଫଳତା ହାସଲ କରି ଘଟଣାର ପର୍ଦାଫାଶ କରିଛି । ଗତ ମାର୍ଚ୍ଚ ମାସ ୨୯ ତାରିଖ ମଧ୍ୟ ରାତ୍ରିରେ ମାଲପାଡ଼ ଗ୍ରାମର ଛତ୍ରପାଲ ମଲ୍ଲିକ (୭୪) କୁ ଟାଙ୍ଗିଆ ସାହାଯ୍ୟରେ ହତ୍ୟା କରି ଘର କବାଟ କୁ ବାହାରୁ ବନ୍ଦ କରି ହତ୍ୟାକାରୀ ଫେରାର ହୋଇ ଥିଲା । ଚାରିଦିନ ବିତିଯାଇଥିଲେ ସୁଦ୍ଧା ପରିବାର ଲୋକ କିମ୍ବା ପଡିଶା ଲୋକ କେହି ଜାଣିପାରିନଥିଲେ । ୩ ତାରିଖ ଦିନ ମୃତକର ଘର ଭିତରୁ ଅତ୍ୟନ୍ତ ଦୁର୍ଗନ୍ଧ ବାହାରୁ ଥିବାରୁ ପୋଲିସ କୁ ଖବର କରିଥିଲେ ପରିବାର ଲୋକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କବାଟ ଖୋଲି ରକ୍ତ ଜୁଡ଼ୁବୁଡ଼ୁ ଗଳିତ ଅବସ୍ଥାରେ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମକଦ୍ଦମା ରୁଜୁ କରି ଥିଲା । ଏନେଇ ବଲାଙ୍ଗୀର ରୁ ବୈଜ୍ଞାନିକ ଦଳ ଏବଂ କେ-୯ ସ୍କ୍ୱାଡ଼ ସ୍ୱାନ ପେନି ଘଟଣାର ଟିକିନିଖି ଯାଞ୍ଚ କରିଥିବାବେଳେ ସ୍ୱାନ ପେନି ହତ୍ୟାକାରୀ ର ଘରକୁ ଚି଼ହ୍ନଟ କରିବାରେ ସକ୍ଷମ ହୋଇଥିଲା । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ଙ୍କ ପ୍ରତିନିଧିତ୍ୱ ରେ ଏକ ଟିମ ଗଠନ କରି ଘଟଣାର ତଦନ୍ତରେ ଲାଗିପଡ଼ିଥିଲା ଖପ୍ରାଖୋଲ ପୋଲିସ । ୨୪ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ମାଲପଡା ଗ୍ରାମର ଅନିରୁଦ୍ଧ କୁଅଁର ଓରଫ (ଅନି) (୧୯) ଏବଂ ଗଜାନନ୍ଦ ଭୋଇ ଓରଫ ଗଜାଧର (୧୯) ବର୍ଷ ବୟସ ବୋଲି ଜଣାପଡିଛି । ଅଭିଯୁକ୍ତ ଅନିରୁଦ୍ଧ ର କହିବା ଅନୁଯାୟୀ ସେ ସନ୍ଧ୍ୟା ସମୟରେ ମୃତକ ଙ୍କ ଘର ସମ୍ମୁଖରେ ଥିବା ବରଗଛ ତଳେ କୌଣସି ଝିଅ ସାଙ୍ଗ ସହିତ ଫୋନରେ ପାଟିତୁଣ୍ଡ କରୁଥିଲା ସେହି ସମୟରେ ମୃତକ ଛତ୍ରପାଲ ଅନିକୁ ପାଟିତୁଣ୍ଡ କରିବାକୁ ମନା କରିଥିଲା ଏନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ସାମାନ୍ୟ କଥାକୁ ନେଇ ଅନିରୁଦ୍ଧ କୁଅଁର ରାତିଅଧରେ ମୃତକ ଛତ୍ରପାଲ କୁ ଟାଙ୍ଗିଆରେ ଆକ୍ରମଣ କରି ଲହୁ ଲୁହାଣ କରିଦେଇ ତା ସାଙ୍ଗକୁ ଫୋନ କରି ଡାକିଥିଲା । ପରେ ଦୁଇଜଣ ଅଭିଯୁକ୍ତ ମୃତକକୁ ଘରଭିତରେ ଛାଡ଼ିଦେଇ ବାହାରପଟୁ ତାଲାମାରି ଫେରାର ହୋଇ ଯାଇଥିଲେ। ଆଜି ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ଅନିରୁଦ୍ଧ କୁ ସାଙ୍ଗରେ ନେଇ ମାଲପଡା ଗ୍ରାମରେ ସିନ ରିକ୍ରିଏସନ କରିଥିଲା । ଘଟଣାସ୍ଥଳ ରୁ କିଛି ଦୂରରେ ହତ୍ୟାକାରୀ ଟାଙ୍ଗିଆ କୁ ଫିଙ୍ଗି ଦେଇଥିବା ବେଳେ ପୋଲିସ ଟାଙ୍ଗିଆକୁ କବଜାରେ ନେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୧/୨୦୨୪ ରେ ଭାରତୀୟ ପେନାଲକୋର୍ଡ ର ଧାରା ୩୦୨/୨୦୧/୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ଋଜୁକରି ଦୁଇ ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।