ପଦ୍ମପୁର, ୨୬/୭ (ପଶ୍ଚିମ ଓଡିଶା ବାର୍ତ୍ତା): ଚଳିତ ମାସ ରାଜ୍ୟର ସମସ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା ଯେଉଁଥିରେ କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ମୁଖ୍ୟ ଦାୟିତ୍ବ ନିର୍ବାହ କରିଥିଲେ।ଏହିକ୍ରମରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ରେ ମଧ୍ୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ କୁ ଅନୁସରଣ କରିବା ସହ ଅନେକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ଏହି ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କର ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯାହାଦ୍ୱାରା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ପାଠ ପଢ଼ା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ବୈତାଳି ସିଆରସିସିଙ୍କ କହିବା ଅନୁଯାୟୀ କିଛି ଦିନ ପୂର୍ବରୁ ଏକ ବିଦ୍ୟାଳୟରେ ଅଭିଭାବକ ସଭାରେ ପାଠପଢ଼ା ସମୟରେ ମୋବାଇଲରେ କଥା ହେଉଥିବାରୁ ପାଠପଢ଼ା ବ୍ୟାହତ ହେବାର ଅଭିଯୋଗ ହୋଇଥିଲା ଯେଉଁଥିରେ ଶ୍ରୀ ସାହୁ ଉପସ୍ଥିତ ଥିଲେ।ଅଭିଭାବକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପାଠ ପଢ଼ା ସମୟରେ ଶ୍ରେଣୀ ଗୃହରେ ମୋବାଇଲ ବ୍ୟବହାର ନେଇ ବିଦ୍ୟାଳୟ ନିରାପତ୍ତା ଯୋଜନାରେ ଏକ ନିୟମାବଳୀ ରହିଥିବା କହିଥିଲେ।ଏହାକୁ ନେଇ ସିଆରସିସି ସାହୁ ବ୍ଲକ ସ୍ତରରେ ମଧ୍ୟ ଉପସ୍ଥାପନ କରିଥିଲେ।
ପରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଉକ୍ତ ମାର୍ଗଦର୍ଶିକାକୁ ଅନୁସରଣ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ପ୍ରଧାନ ଶିକ୍ଷକମାନେ ବିଦ୍ୟାଳୟ ସ୍ତରରେ "ସ୍କୁଲ ସମୟରେ ମୋବାଇଲ ବ୍ୟବହାର ନିୟମାବଳୀ" ମାର୍ଗଦର୍ଶିକାକୁ ବିଦ୍ୟାଳୟ ର କାର୍ଯ୍ୟାଳୟରେ ଛପା ଯାଇଛି ଏବଂ ଶ୍ରେଣୀ କୋଠରୀରେ ମଧ୍ୟ ଏହା ଛପା ଯାଇଛି।ଏହି ମାର୍ଗଦର୍ଶିକା ଅନୁସାରେ ପାଠ ପଢ଼ା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ଫୋନକୁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର ନ କରିବାକୁ କୁହାଯାଇଛି।ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମୋବାଇଲକୁ ଶିକ୍ଷଣ ସାମଗ୍ରୀ ରୂପେ ବ୍ୟବହାର କରବେ ତାହାକୁ ଦୈନିକ ପାଠ ଟିକାରେ ଉଲ୍ଲେଖ କରି ଲିଖିକରି ବ୍ୟବହାର କରିପାରିବେ,ଅଲଗା ସମୟରେ ତାହା ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି।ପ୍ରଧାନ ଶିକ୍ଷକଙ୍କର ମୋବାଇଲ ସବୁବେଳେ ତଥ୍ୟ ଆଦାନ ପ୍ରଦାନ ଲାଗି ସବୁବେଳେ ଖୋଲା ରହିବ।
ଏହି ନିୟମାବଳୀ ବିଦ୍ୟାଳୟ ନିରାପତ୍ତା ଯୋଜନାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯାହାକୁ ଅନୁସରଣ କରାଯାଇଛି ବୋଲି ସିଆରସିସି ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି।