ସୁବର୍ଣ୍ଣପୁର, ୨୦/୭ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ବିଭାଗୀୟ ଅଧିକାରୀ କର୍ମଚାରୀ ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଙ୍କ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥା ରେ ରହିଛି।ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ପଲସାପାଲି ଗ୍ରାମରେ।ପଲସାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ପାଞ୍ଚଟି ଶ୍ରେଣୀ ପାଇଁ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି ସତ କିନ୍ତୁ ଆବଶ୍ୟକତା ଅନୁଯାୟୀ ଶ୍ରେଣୀ କୋଠରୀ ନାହିଁ।ଏକମାତ୍ର କୋଠରୀରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଇବାକୁ ପଡୁଥିବା ଦେଖିବାକୁ ମିଳିଛି।ନିକଟ ଅତୀତରେ ରାଜ୍ୟ ସରକାର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକର ନୂତନ କୋଠରୀ ନିର୍ମାଣ, ମରାମତି ତଥା ଭିତ୍ତିଭୂମି ସଜାଡିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କୁ ଅନୁଦାନ ଯୋଗାଇ ଦେଇଛନ୍ତି।କିନ୍ତୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଅଭିଭାବକ ମାନେ ନୂତନ ସ୍କୁଲ କୋଠା ନିର୍ମାଣ ତଥା ମରାମତି ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ।ରାଜନୈତିକ ଆକ୍ରୋଶ ରଖି ପଞ୍ଚାୟତ କର୍ତ୍ତୃପକ୍ଷ ଏହି ବିଦ୍ୟାଳୟ କୁ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେଣୁ ବ୍ଳକ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଏହି ବିଦ୍ୟାଳୟ ରେ ଆବଶ୍ୟକତା ଅନୁଯାୟୀ ନୂତନ କୋଠରୀ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।