ବିଜେପୁର, ୨୯/୭ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଚାରପାଲି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ କଳ୍ପନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ବ ହେପାଟାଇଟିସ ଦିବସ ଅବସରରେ ଗୁଡିମୁଣ୍ଡା ଗ୍ରାମଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ବିଶ୍ବ ହେପାଟାଇଟିସ ଦିବସର ବିଷୟବସ୍ତୁ ହେଉଛି "ଓ୍ୱାନ ଲାଇଫ୍ ଓ୍ୱାନ ଲିଭର" (ଗୋଟିଏ ଜୀବନ ଗୋଟିଏ ଯକୃତ)। ଏହି ସଭାରେ ଗ୍ରାମର ଲୋକ ମାନଙ୍କୁ ହେପାଟାଇଟିସ୍ ରୋଗର ସଂକ୍ରମଣ, ଲକ୍ଷ୍ୟଣ, ନିରାକରଣ, ପ୍ରତିରୋଧକ ଏବଂ ଏହାର ଭୟାବହତା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସତେତନ କରାଯାଇଥିଲା। ଯେପରିକି ଶିଶୁ ଜନ୍ମର ୨୪ ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦେବା ଜରୁରୀ ଅଟେ। ହେପାଟାଇଟିସ୍ ରୁ ସୁରକ୍ଷିତ ରହିବା ପାଇଁ କେବଳ ସ୍ବୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରିବା। ଅସୁରକ୍ଷିତ ଯୌନ ସମ୍ପର୍କ ଠାରୁ ଦୂରେଇ ରହିବା। ମଦ୍ୟପାନ କରିବା ନାହିଁ। ସଂକ୍ରମିତ ଛୁଞ୍ଚି, ବ୍ଳେଡ୍, ସିରିଞ୍ଜ୍ ତଥା ଅନ୍ୟାନ୍ୟ ଅସ୍ତ୍ରୋପଚାର ଉପକରଣ ବ୍ୟବହାର କଲେ ଏହି ରୋଗ ବ୍ଯାପିଥାଏ। ଏଣୁ ଏହି ରୋଗରୁ ନିଜକୁ ରକ୍ଷା କରିବାକୁ ହେଲେ ପ୍ରତ୍ୟେକେ ଥର ନୂଆ ତଥା ବିଶୋଧିତ ଛୁଞ୍ଚି, ବ୍ଲେଡ୍, ସିରିଞ୍ଜ୍ ତଥା ଅନ୍ୟାନ୍ୟ ଅସ୍ତ୍ରୋପଚାର ଉପକରଣ ବ୍ୟବହାର କରିବା ଉଚିତ। ବର୍ତ୍ତମାନ ବର୍ଷାଋତୁ ସମୟରେ ଦୁଷିତ ପାଣି ଏବଂ ଖାଦ୍ୟ ଦ୍ୱାରା ମଧ୍ୟ ହେପାଟାଇଟିସ ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥାଏ। ଯଦି ଆମେ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଉତ୍ତମ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ତେବେ ଜଳ ବାହିତ ଏବଂ ଖାଦ୍ୟ ବାହିତ ରୋଗ ଠାରୁ ଦୂରରେ ରହିବା ବୋଲି ବୈଠକରେ ଉପସ୍ଥିତ ଜନସାଧାରଣଙ୍କୁ ଦିଗଦର୍ଶନ ଦେଇଥିଲେ। ନିଜନିଜ ଅଭିଭାବକ ତଥା ପଡୋଶୀ ମାନଙ୍କୁ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ପରାମର୍ଶ ପ୍ରଦାନ କରିବା ସହ ସଚେତନତା ସୃଷ୍ଟି କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ଚାରପାଲି ଗ୍ରାମ ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁଶ୍ରୀ କଳ୍ପନା ମହାନ୍ତି ଅଧ୍ୟକ୍ଷତା ଏବଂ ଆଶା କର୍ମୀ ସୁଜାତା ସୁନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ଗ୍ରାମର ବହୁ ବୟୋଜ୍ୟେଷ୍ଠ ପୁରୁଷ , ମହିଳା ଏବଂ ଯୁବକ ଯୁବତୀ ମାନଙ୍କ ସହିତ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ।